ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ ସବଡେଗା, ୨୧/୧୧: ରୋଜଗାର ଆଶାରେ ଘର ଛାଡ଼ି ପରଦେଶକୁ ଯାଇଥିଲେ। ପରିବାରର ଆର୍ଥିକ ସ୍ଥିତି ସୁଧାରିବା ସହ ନିଜର ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖିଥିଲେ। ହେଲେ ସେହି ସ୍ୱପ୍ନ ଅଧାରେ ରହିଗଲା। ତାମିଲନାଡୁରେ ଜଣେ ୨୬ ବର୍ଷୀୟ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଥିବା ଖବର ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି। ଏବେ ପୁଅର ମୃତଦେହକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପରିବାର ଆକୁଳ ନିବେଦନ କରୁଛନ୍ତି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ଡମକୁଡ଼ା ଗ୍ରାମର ଦୀପକ ସାହୁ (୨୬) ରୋଜଗାର ଉଦ୍ଦେଶ୍ୟରେ ତାମିଲନାଡୁ ଯାଇ ସେଠାରେ କାମ କରୁଥିଲେ। ହେଲେ ହଠାତ୍ ତାଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ଅଭିଯୋଗ ଅନୁଯାୟୀ, ଦୀପକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ସମ୍ପୃକ୍ତ ମ୍ୟାନେଜର ମୃତଦେହ ପଠାଇବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ଫଳରେ ଶୋକାକୁଳ ପରିବାର ଅଧିକ ଅସହାୟ ହୋଇପଡ଼ିଛନ୍ତି।
ଅନ୍ୟପଟେ, ପୁଅର ମୃତଦେହକୁ ଶେଷଥର ପାଇଁ ଦେଖିବା ସହ ନିଜ ଗାଁ ମାଟିରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅପେକ୍ଷା କରି ରହିଛନ୍ତି ପରିବାରବର୍ଗ। ଏଭଳି ଦୁଃଖଦ ସମୟରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଦୀପକଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବାର ବ୍ୟବସ୍ଥା କରିବା ସହ ପରିବାରକୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଦାବି ହୋଇଛି।
ମାତ୍ର ୨୬ ବର୍ଷ ବୟସରେ ଦୀପକଙ୍କ ଅକାଳ ବିୟୋଗ ଡମକୁଡ଼ା ଗ୍ରାମରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି। ପରଦେଶରେ ଜୀବନ ହାରିଥିବା ଯୁବକଙ୍କ ମୃତଦେହ କେବେ ନିଜ ଜନ୍ମମାଟିକୁ ଫେରିବ, ତାହାକୁ ନେଇ ଏବେ ପରିବାର ଅପେକ୍ଷାରେ ରହିଛନ୍ତି।
ରିପୋର୍ଟ: କୁମାର ସାହୁ, ସବଡେଗା।