୫ ବର୍ଷ ଧରି ଅସହାୟ ଜୀବନ! ପରିଚୟ ଓ ପରିବାର ଅପେକ୍ଷାରେ ୭୦ ବର୍ଷୀୟ ବୃଦ୍ଧ

ହେମଗିର: ବୟସ ପ୍ରାୟ ୭୦ ବର୍ଷ। ଜୀବନର ସାୟାହ୍ନରେ ଯେଉଁ ସମୟରେ ପରିବାରର ସ୍ନେହ, ଯତ୍ନ ଓ ସହାରା ମିଳିବା କଥା, ସେହି ସମୟରେ ଏକାକୀ ଓ ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି ଜଣେ ବୃଦ୍ଧ। ଦୀର୍ଘ ୫ ବର୍ଷ ଧରି ଆଶ୍ରୟ ଓ ଆପଣାର ମଣିଷଙ୍କୁ ଅପେକ୍ଷା କରି ରହିଛନ୍ତି ସେ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ମୁଣ୍ଡରକ୍ଷେତ ପଞ୍ଚାୟତର ପୁଡ଼ାଜଙ୍ଗଳା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଏକ ହୃଦୟବିଦାରକ ଚିତ୍ର।

ଆଖିରେ ଲୁହ, ଶରୀରରେ ବାର୍ଦ୍ଧକ୍ୟର କମ୍ପନ ଏବଂ ମନରେ ଅସରନ୍ତି ଯନ୍ତ୍ରଣା। ଖରା, ବର୍ଷା ଓ ଶୀତକୁ ସହ୍ୟ କରି ଗତ ୫ ବର୍ଷ ହେଲା ଏହି ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କୁ ଚାହିଁ ରହୁଛନ୍ତି, କାଳେ କେହି ସହାୟତାର ହାତ ବଢ଼ାଇବେ। ଅନ୍ୟମାନଙ୍କ ସାହାଯ୍ୟ ହିଁ ତାଙ୍କ ଜୀବନର ଏକମାତ୍ର ସାହାରା ପାଲଟିଛି।

କିଏ ଏହି ବୃଦ୍ଧ? କେଉଁଠି ତାଙ୍କର ନିଜ ଘର? ତାଙ୍କର ପରିବାର ଓ ଆତ୍ମୀୟସ୍ୱଜନ ଅଛନ୍ତି କି ନାହିଁ? ଯଦି ଅଛନ୍ତି, ତେବେ ଦୀର୍ଘ ୫ ବର୍ଷ ଧରି ସେମାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି।

ବୃଦ୍ଧାବସ୍ଥାରେ ତାଙ୍କୁ ଆବଶ୍ୟକ ଉପଯୁକ୍ତ ଆଶ୍ରୟ, ନିୟମିତ ଖାଦ୍ୟ, ଚିକିତ୍ସା ଓ ସୁରକ୍ଷା। ତେଣୁ ମାନବିକତା ଦୃଷ୍ଟିରୁ ଏହି ଅସହାୟ ବୃଦ୍ଧଙ୍କ ସହାୟତା ପାଇଁ ସ୍ଥାନୀୟ ଜନପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ଆଗେଇ ଆସିବା ଜରୁରୀ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ବୃଦ୍ଧଙ୍କ ପରିଚୟ ଖୋଜିବା ସହ ତାଙ୍କ ପରିବାରର ସନ୍ଧାନ କରିବାକୁ ପ୍ରଶାସନ ପଦକ୍ଷେପ ନେବ କି? ତାଙ୍କୁ ସୁରକ୍ଷିତ ଆଶ୍ରୟ, ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦିଆଯିବ କି? ଜୀବନର ଶେଷ ପର୍ଯ୍ୟାୟରେ ଅତି କମ୍‌ରେ ଏକ ସମ୍ମାନଜନକ ଜୀବନ ପାଇବାର ଅଧିକାର ତାଙ୍କର ମଧ୍ୟ ରହିଛି।

ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ହିଁ ଏହି ଅସହାୟ ବୃଦ୍ଧଙ୍କ ଜୀବନରେ ନୂଆ ଆଶା ଆଣିପାରିବ।

ରିପୋର୍ଟ: ପ୍ରଫୁଲ୍ଲ ରୋହିଦାସ, ହେମଗିର